Sunday, February 10, 2019

ଖାଇଦେଲା – କ୍ରିୟାପଦରେ ‘ଦେଲା’ର ପରିଚୟ କଣ ?


ଖାଇଦେଲା କ୍ରିୟାପଦରେ ଦେଲାର ପରିଚୟ କଣ ?

ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଆଡ଼ିସିନାଲ ସେକ୍ସନ ଅଫିସର ପଦ ପାଇଁ ପରୀକ୍ଷା ୨୦.୦୧.୧୯ ତାରିଖରେ ଶେଷ ହୋଇଛି । ପରୀକ୍ଷା ଦେଇଥିବା କିଛି ପ୍ରତ୍ୟାଶୀ ଓଡ଼ିଆ ଭାଷା ବିଷୟକ ପ୍ରଶ୍ନ ସମ୍ପର୍କରେ ମୋର ମତାମତ ଲୋଡ଼ିଥିଲେ । ମୁଁ ବ୍ୟାକରଣବିତ୍ ନୁହେଁ, କିନ୍ତୁ ଆବଶ୍ୟକ ହେଲେ ଚର୍ଚ୍ଚା କରିଥାଏ । ତେଣୁ ସେମାନଙ୍କୁ ଭାବିଚିନ୍ତି କହିବି ବୋଲି ପ୍ରତିଶ୍ରୁତି ଦେଲି । ଏବେ ସମାଜର ୨.୨.୧୯ ଶନିବାର ସଂସ୍କରଣରେ ଜଣେ ପତ୍ରପ୍ରେରକ ପ୍ରଶ୍ନପତ୍ରର ତ୍ରୁଟିବିଚ୍ୟୁତି ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି । ତାଙ୍କର ଅଭିଯୋଗ ହେଉଛି, “ଆୟୋଗ ତରଫରୁ ଯେଉଁ ସିଲାବସ୍ ପିଲାମାନଙ୍କୁ ଦିଆଯାଇଥିଲା, ସେ ଆଧାରରେ ପ୍ରଶ୍ନ ତିଆରି ହୋଇନାହିଁ । ୧୦୦ଟି ପ୍ରଶ୍ନ ମଧ୍ୟରୁ ୭୦ରୁ ଅଧିକ କେବଳ କ୍ରିୟାଉପରେ ଆଧାରିତ ପ୍ରଶ୍ନ ଥିଲା ।ତେଣୁ ସେ କହିଛନ୍ତି, “ଯେଉଁ ଓଡ଼ିଆ ଭାଷା ବିଶେଷଜ୍ଞ ଏହି ପ୍ରଶ୍ନଗୁଡ଼ିକ ତିଆରି କରିଛନ୍ତି, ସେ ଦୟା ପୂର୍ବକ କହିବେ କି ସେହି କ୍ରିୟାଗୁଡ଼ିକ କେଉଁ ଓଡ଼ିଆ ବ୍ୟାକରଣ ବହିରେ ରହିଛି କିମ୍ବା କେଉଁ ଶ୍ରେଣୀର ବ୍ୟାକରଣ ପାଠ୍ୟପୁସ୍ତକରେ ପଢ଼ାଯାଉଛି? ପୁନଶ୍ଚ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ମଧ୍ୟ ଗଣମାଧ୍ୟମରେ ଆୟୋଗ ପ୍ରକାଶ କରନ୍ତୁ ।ପତ୍ରପ୍ରେରକଙ୍କ ପ୍ରଶ୍ନ ବିଷୟରେ ମୋର କିଛି କହିବାର ନାହିଁ । ପଡ଼ିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ମୋତେ ମିଶାଇ ସମସ୍ତଙ୍କ ଆବଶ୍ୟକ ହେଉଥିବାରୁ ମୁଁ ତାହାର ଅନ୍ୱେଷଣରେ ପ୍ରବୃତ୍ତ ହୋଇଛି ମାତ୍ର ।
ପ୍ରଶ୍ନ ଖାଇଦେଲା କ୍ରିୟାପଦରେ ଦେଲାଏକ ----- କ୍ରିୟା ।
କ. ସହାୟକ କ୍ରିୟା ଖ. ସାହାଯ୍ୟକାରୀ କ୍ରିୟା ଗ. ମିଶ୍ର କ୍ରିୟା ଘ. ଅମିଶ୍ର କ୍ରିୟା
               
ଦିଆଯାଇଥିବା ସମ୍ଭାବ୍ୟ ୪ଟି ଉତ୍ତର ମଧ୍ୟରୁ ପ୍ରତ୍ୟେକକୁ ପରୀକ୍ଷା କରାଯାଉ । ପ୍ରଥମେ ଘ. ।
ଘ. ଅମିଶ୍ର କ୍ରିୟା ଯେଉଁ କ୍ରିୟା ଗୋଟିଏ ମାତ୍ର ପଦରେ ଗଠିତ ହୋଇଥାଏ । ଯଥା ହସେ, ପଢ଼ିଲି ଖାଇବି । ତେଣୁ ଏହା ସଠିକ ଉତ୍ତର ନୁହେଁ । କାରଣ ଖାଇଦେଲାରେ ୨ଟି ପଦ (ଖାଇ + ଦେଲା) ରହିଛି ।
ଗ. ମିଶ୍ର କ୍ରିୟା ଯେଉଁ କ୍ରିୟା ୨ ବା ଅଧିକ ପଦରେ ଗଠିତ । ଯଥା
                (ଅ) ପଠନ କଲି, ଗମନ କଲି, ଭୋଜନ କରିବି ଇତ୍ୟାଦି
(ଆ) ଇ-କାରାନ୍ତ ଅସମାପିକା କ୍ରିୟାରୁ ପଡ଼୍ (ଖସିପଡ଼ିବା), ଉଠ୍ (ଜାଗିଉଠିବା), ଦେ (ଖାଇଦେବା), ନେ (ଦେଖିନେବା), ଯା (ଚାଲିଯିବା), ପାର (କରିପାରିବା)୍, ସାର୍ (ରାନ୍ଧିସାରିବା), ପକା (କାନ୍ଦିପକାଇବା), ଆଣ୍ (ଉଠାଇଆଣିବା) ପ୍ରଭୃତି ଧାତୁ ଯୋଗରେ ଗଠିତ କ୍ରିୟା
(ଇ)       ମିଶ୍ର କ୍ରିୟା ୩ ଧାତୁ ବିଶିଷ୍ଟ ମଧ୍ୟ ହୋଇପାରେ, ଯଥା ଶୁଣି+ଥାଇ+ପାରେ, କରି+ଦେଇ+ପାରେ
ଏ ଦୃଷ୍ଟିରୁ ଖାଇଦେଲାଗୋଟିଏ ମିଶ୍ରକ୍ରିୟା ହୋଇଥିବାରୁ ଗ. ସଠିକ୍ ଉତ୍ତର, କିନ୍ତୁ ପ୍ରଶ୍ନରେ ଖାଇଦେଲାବଦଳରେ ଦେଲାପଦକୁ କେଉଁ କ୍ରିୟା ବୋଲି ପଚରାଯାଇଛି । ଅର୍ଥାତ୍ ଖାଇଦେଲାମିଶ୍ର କ୍ରିୟା, ଏହାର ପ୍ରଥମଟି (ଖାଇ) ଗୋଟିଏ ଅସମାପିକା କ୍ରିୟା କିନ୍ତୁ ଦେଲାପଦଟି କଣ? ସେଥିପାଇଁ ଆହୁରି ଆଗକୁ ଯାଇ କ, ସହାୟକ କ୍ରିୟା ଓ ଖ. ସାହାଯ୍ୟକାରୀ କ୍ରିୟା ବିଷୟରେ ଜାଣିବା ପାଇଁ ପଡ଼ିବ ।
(କ) ସହାୟକ କ୍ରିୟା କ୍ରିୟାର ବିଭିନ୍ନ ଆଭିମୁଖ୍ୟ ଓ ଭାବ ପ୍ରକାଶ ନିମନ୍ତେ ମୂଳକ୍ରିୟା ସହିତ ଯେଉଁ କ୍ରିୟାର ସଂଯୋଗ ଘଟିଥାଏ । ଏହା ମୂଳ କ୍ରିୟାପଦର ଅସମାପିକା ରୂପର ଅନୁଗାମୀ ହୁଏ ଓ ସମାପିକା କ୍ରିୟାପଦର ରଚନାତ୍ମକ ରୂପଧର୍ମ ଗ୍ରହଣ କରେ । ଆମ ଭାଷାରେ ଏହା ମାତ୍ର ୨ଟି ଯଥା - ଅଛ୍ ଓ ଥା ।
                ଅଛ୍ କରୁଛି (ଅସମ୍ପନ୍ନ ବର୍ତମାନ), କରିଛି (ସମ୍ପନ୍ନ ବର୍ତମାନ)
ଥା ବର୍ତମାନ କାଳକୁ ବାଦ୍ ଦେଇ ଅନ୍ୟ ସମସ୍ତ କାଳ ଓ ଭାବରେ ଅସମ୍ପନ୍ନ ଓ ସମ୍ପନ୍ନ କ୍ରିୟାପଦ ଗଠନରେ ସହାଯତା କରେ । ଯଥା କରିଥିଲି, କରୁଥିବି, କରିଥାନ୍ତା, କରୁଥା ପ୍ରଭୃତି ।
ଏଥିରେ ଦେଲାକ୍ରିୟା ଅନ୍ତର୍ଭୁକ୍ତ ନୁହେଁ, ତେଣୁ ଦେଲାସହାୟକ କ୍ରିୟା ନୁହେଁ ।
(ଖ) ସାହାଯ୍ୟକାରୀ କ୍ରିୟା - ଅଛ୍ ଓ ଥା ସହାୟକ କ୍ରିୟା ବ୍ୟତୀତ ଆଉ କେତେକ ଧାତୁ ମୂଳ କ୍ରିୟାର ଅର୍ଥ ବିଶେଷିତ କରିବା ପାଇଁ ସାହାଯ୍ୟକାରୀ କ୍ରିୟା ରୂପେ ପ୍ରୟୋଗ ହୁଅନ୍ତି ।
(ଅ) ଏମାନେ ସର୍ବଦା ମୂଳକ୍ରିୟାର ଅତୀତ କ୍ରିୟାମୂଳ (ଇ-କାରାନ୍ତ କ୍ରିୟାମୂଳ) ସଙ୍ଗେ ଯୋଡ଼ା ହୁଅନ୍ତି ।
(ଆ) ଏହିସବୁ ସାହାଯ୍ୟକାରୀ କ୍ରିୟାଗୁଡ଼ିକ କେତେବେଳେ ମୂଳ କ୍ରିୟାର ଅର୍ଥକୁ ବିଶେଷିତ କରନ୍ତି । ଯଥା ମୁଁ ଖାଇପାରେ । ସେ କରି ସାରିଲେଣି । ଏ ଦୁଇ ବାକ୍ୟରେ ଖାଇବାର କ୍ଷମତା ଓ କରିବାରେ ନିଷ୍ପନ୍ନତା ପ୍ରକାଶ ପାଉଛି ।
(ଇ)ନଚେତ୍ ସାହାଯ୍ୟକାରୀ କ୍ରିୟା, ମୂଳକ୍ରିୟାର ଅଳଙ୍କାର ପରି ପ୍ରୟୋଗ ହୁଅନ୍ତି । ଯଥାସେ ଖାଇଦେଲା । ଖାଇଦେଲା ଅର୍ଥ ଖାଇଲାତେଣୁ ଏଠାରେ ଦେଲା’ ‘ଖାଇଲାର ଅଳଙ୍କାର ମାତ୍ର । ବେଳେବେଳେ ଅର୍ଥ ଥାଏ, ଯେମିତି କାହାକୁ ନପଚାରି ନମାନି ବା ତରତର ହୋଇ ଖାଇଦେଲା ।
(ଈ) ମିଶ୍ରକ୍ରିୟାର (ଆ) ଅନୁଚ୍ଛେଦରେ ଦିଆଯାଇଥିବା କ୍ରିୟାଧାତୁଗୁଡ଼ିକ ଯଥା ଯା, ଆସ୍, ପାର୍, ସାର୍, ପଡ଼୍, ଉଠ୍, ଦେ, ପକା,ବସ୍, ନେ, ଆଣ୍, ରଖ୍, ଜାଣ୍ ପ୍ରଭୃତି ଏହାର ଅନ୍ୟ ଉଦାହରଣ ।

ଅତଏବ ଖାଇଦେଲାକ୍ରିୟାପଦର ଦେଲାଏକ ସାହାଯ୍ୟକାରୀ କ୍ରିୟା । ଉତ୍ତର ହେଲା (ଖ) ସାହାଯ୍ୟକାରୀ କ୍ରିୟା ।

1 comment:

Anonymous said...

Sir

The explanation is enchanting.

Do you have any grammar book?