Sunday, November 28, 2021

ଚିଲ୍ଲର ପାର୍ଟିର ଚେତାବନୀ

 ଚିଲ୍ଲର ପାର୍ଟିର ଚେତାବନୀ

‘ମାସୁମ୍’ ସିନେମାର ଏଇ କୌତୁକିଆ ଗୀତଟି ଆପଣମାନେ ଶୁଣିଥିବେ -

ଛୋଟା ବଚ୍ଚା ଜାନ କେ ନା କୋଇ 

ଆଁଖ ଦିଖାନା ରେ

ଅକଲ କା କଚ୍ଚା ସମଝକେ ହମେ 

ନା ସମଝାନା ରେ 

ଭୋଲୀ ସୁରତ ଜାନ୍ କେ ହମସେ 

ନା ଟକରାନା ରେ ...

ଛୋଟପିଲା ଅର୍ଥାତ୍ ଶିଶୁମାନଙ୍କୁ ଆମେ ସବୁବେଳେ ଗୌଣ ଦୃଷ୍ଟିରେ ଦେଖି ଆସିଛୁ । ତାକୁ ଅବଜ୍ଞା କରିଛୁ । ଛୋଟ ବୋଲି ଭାବିଛୁ । ଆଇନ ଶାସ୍ତ୍ରରେ ସେ ନାବାଳକ, ଅପ୍ରାପ୍ତବୟସ୍କ। ସେମାନଙ୍କ ପ୍ରତି ଉପଯୁକ୍ତ ବିଚାରବୋଧ ଆମ ସମାଜରେ ନାହିଁ । ନିଷ୍ପତ୍ତି ଗ୍ରହଣରେ ସେ ଗୌଣ । ଅଭିଭାବକ ବା ପିତାମାତା ତାହାର ତତ୍ତ୍ୱାବଧାରକ ଓ ସର୍ବେସର୍ବା ।  ଶିଶୁର ଲାଳନପାଳନ ତଥା ବିକାଶର ଅପୂର୍ଣ୍ଣତା ଦୃଷ୍ଟିରୁ ଏହା କେତେକାଂଶରେ ଠିକ୍, କିନ୍ତୁ ସର୍ବଦା ଠିକ୍ ନୁହେଁ ବୋଲି ଆଧୁନିକ କାଳରେ ଚିନ୍ତାନାୟକମାନେ ଅବତାରଣା କରିଛନ୍ତି ।

ଭାରତରେ ଶିଶୁ ଦିବସର ସୂତ୍ରଧର  ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଶିଶୁମାନଙ୍କ ବିଷୟରେ ସ୍ୱତନ୍ତ୍ର ଚିନ୍ତା ପାଇଁ ଗୋଟିଏ ଅବସର ସୃଷ୍ଟି କରିଥିଲେ । ତାଙ୍କ ମତରେ ଶିଶୁମାନେ  ସେମାନଙ୍କ ପିତାମାତାଙ୍କଠାରୁ ଅଧିକ ବିଜ୍ଞ । ଗୋଲାପ ଫୁଲକୁ ଶ୍ରଦ୍ଧା କରୁଥିବା ନେହେରୁ ପିଲାଙ୍କୁ ବଗିଚାର କଳିକା ବୋଲି ବର୍ଣ୍ଣନା କରିବା ସହିତ ଯେହେତୁ ସେମାନେ ଜାତିର ଭବିଷ୍ୟତ ଓ ଆଗାମୀ ଯୁଗର ନାଗରିକ ସେଥିପାଇଁ ଅତ୍ୟନ୍ତ ସ୍ନେହଶ୍ରଦ୍ଧା ଓ ଯତ୍ନ ସହକାରେ ସେମାନଙ୍କ ଲାଳନପାଳନ ହେବା ଦରକାର ବୋଲି କହିଥିଲେ । ଯେଉଁଠି ବାଜଶ୍ରବା ଋଷି ଆପଣା ପୁଅ ନଚିକେତାକୁ ଯମ ନିକଟକୁ ପଠାଉଥିବା ଘଟଣା ଘଟେ, ସେହି ମାଟିରେ ଏହି ଭାବନା ନିଶ୍ଚୟ ଅଭିନବ । ଗରିବ ଦେଶର ମୂଲିଆଟିଏ ତା ସନ୍ତାନକୁ ପିଲାଟି ଦିନରୁ କାମରେ ଲଗାଇଦିଏ । ଏପରିକି ବିପଦ ପୂର୍ଣ୍ଣ କଳକାରଖାନାରେ ମଧ୍ୟ ଶିଶୁ ଶ୍ରମିକ ନିୟୋଜିତ । କେବଳ ଗରିବ ଦେଶ କାହିଁକି ଶିଳ୍ପବିପ୍ଳବ କାଳୀନ ଇଂଲଣ୍ଡରେ ଗୋଟିଏ ଦିଗରେ ରୋମାଣ୍ଟିକ୍ କବିମାନେ ନିଷ୍ପାପ, ନରୀହ ଶିଶୁଙ୍କୁ ନେଇ କବିତା ଲେଖୁଥିଲେ ଅନ୍ୟପଟରେ ଖଣିଖାଦାନ, କଳକାରଖାନାରେ ଶିଶୁମାନେ କାମ କରୁଥିଲେ । ବିପଦପୂର୍ଣ୍ଣ ଚିମିନି ସଫାକାର୍ଯ୍ୟରେ ସେମାନଙ୍କୁ ନିଯୋଗ କରାଯାଉଥିଲା । କେହିକେହି ଏହି ସମୟକୁ ଶୈଶବର ଇତିହାସରେ କଳଙ୍କମୟ ଯୁଗ ବୋଲି କହିବାକୁ ପଛାଇନାହାନ୍ତି । ଖ୍ୟାତନାମା ଇଂରେଜ କଥାଶିଳ୍ପୀ ଚାର୍ଲସ୍ ଡିକେନ୍ସ ଯେତେବେଳେ ନିଜ ଅବହେଳିତ ଶୈଶବର ବାସ୍ତବ ଚିତ୍ର ପ୍ରକାଶ କଲେ ସେତେବେଳେ ଯାଇ ଗ୍ରେଟବ୍ରିଟେନରେ ସଚେତନତା ବଢ଼ିଲା । ଡିକେନ୍ସଙ୍କ ଡେଭିଡ କପରଫିଲ୍ଡ, ଅଲିଭର ଟୁଇଷ୍ଟ ପ୍ରଭୃତି ଉପନ୍ୟାସରେ ପ୍ରତିଫଳିତ ଶିଶୁମାନଙ୍କ ଦୟନୀୟ ଜୀବନଚିତ୍ରରେ ସାରା ଇଂଲଣ୍ଡ ସମ୍ବେଦନଶୀଳ ହେଲା । କାରଖାନା ଆଇନ ତିଆରି ହେଲା । ଶିଶୁ ଶୋଷଣ କମିଲା । 

ପାଶ୍ଚାତ୍ୟ ସଭ୍ୟତାର ଉଷା କାଳରେ ଦାର୍ଶନିକ ପ୍ଳାଟୋ କହିଥିଲେ, ତୁମେ ପିଲାମାନଙ୍କୁ ତୁମ ଭଳି ହେବାକୁ ବାଧ୍ୟ କରନାହିଁ, ସେମାନଙ୍କ ସମୟ ଅଲଗା । ପ୍ଳାଟୋଙ୍କ ଚିରନ୍ତନୀ ବାକ୍ୟକୁ ମାନନ୍ତି କି ଅଭିଭାବକଗଣ? ପିଲାଙ୍କଠାରେ ନିଜ ମନସ୍କାମନା ପୂରଣ ପାଇଁ ସେମାନେ ଲାଗିପଡ଼ନ୍ତି । କେଉଁଠି ବା ପିତାର ଭୂମିକା ରାଷ୍ଟ୍ର ତୁଲାଇବାକୁ ଯାଇ ଶିଶୁର ନିରୀହ ଜୀବନକୁ ଶୃଙ୍ଖଳିତ କରିଦିଏ । ଶିଶୁଙ୍କ ପ୍ରତି ଅନ୍ୟାୟର ଗୋଟିଏ ଭିନ୍ନ ଦୃଶ୍ୟ ଦେଖାଯାଉଛି । ପିଲାଙ୍କ ପାଇଁ ପିତାମାତାଙ୍କ ସମୟ ନାହିଁ । ସେମାନେ ପିଲାଙ୍କ ପାଖରେ ନାନା ଉପକରଣ ଖଞ୍ଜି ଦେଇ ନିଜ ନିଜ ଜଞ୍ଜାଳରେ ବ୍ୟସ୍ତ ରହୁଛନ୍ତି । ଶିଶୁମାନେ ଚାରିକାନ୍ଥରେ ଆବଦ୍ଧ ରହି ଟିଭି, ମୋବାଇଲ ଲ୍ୟାପଟପ୍ ଆଦିରେ ମସଗୁଲ ରହୁଛନ୍ତି । ପିଞ୍ଜରାବଦ୍ଧ ପକ୍ଷୀ ଭଳି ସେମାନଙ୍କ ଡେଣାରେ ଆଉ ଉଡ଼ିବାର କ୍ଷମତା ରହୁନି । ଆମେରିକାର ସାମ୍ବାଦିକ ରିଚାର୍ଡ଼ ଲୌ ‘ଲାଷ୍ଟ ଚାଇଲ୍ଡ ଇନ୍ ଦ ଉଡ୍ସ’ ବୋଲି ଖଣ୍ଡିଏ ବହି ଲେଖି ଖୁବ୍ ଆଲୋଡ଼ନ ଆଣିଥିଲେ । ଚାରିକାନ୍ଥରେ ଆବଦ୍ଧ ଶିଶୁଙ୍କୁ ସେ ନେଚର ଡେଫିସିଟ୍ ଡିଜର୍ଡ଼ର ପୀଡ଼ିତ ବୋଲି କହିଲେ । ତାଙ୍କ ମତରେ ପ୍ରକୃତି ସହ ସେମାନଙ୍କ ସଂସର୍ଗ ନଥିବାରୁ ସେମାନଙ୍କଠାରେ ଏକାଗ୍ରତାର ଅଭାବ, ମେଦବୃଦ୍ଧି, ଦୁର୍ବଳ ସର୍ଜନଶୀଳତା, ଅବସାଦ ପ୍ରଭୃତିର ପ୍ରାଦୁର୍ଭାବ ଦେଖାଦେଇଛି । ଫଳରେ ସେମାନଙ୍କ ବ୍ୟକ୍ତିତ୍ୱ ଓ ସାମାଜିକ ବିକାଶ ବ୍ୟାହତ ହୋଇଛି । 

ଏସବୁ ସତ୍ତେ୍ୱ ଆଶ୍ୱାସନାର ବିଷୟ ହେଲା, ପିଲାମାନେ ଅଭିଭାବକଙ୍କ ଲକ୍ଷ୍ମଣରେଖା ଡେଇଁ ଆସିଛନ୍ତି । ନଚିକେତା ଯମଙ୍କ ପାଖରୁ ବ୍ରହ୍ମଜ୍ଞାନ ଶିଖି ବାହୁଡ଼ି ଆସେ । ଭାରତର ସ୍ୱାଧୀନତା ସଂଗ୍ରମରେ ବାନର ସେନାଙ୍କ ଭୂମିକା ଅବିସ୍ମରଣୀୟ। ଶହଶହ ଶିଶୁ ଏଥିରେ ସାମିଲ ହୋଇ ସଂଗ୍ରାମକୁ ଆଗେଇ ନେଇଥିଲେ । ଶହୀଦ ବାଜି ରାଉତ, କନକଲତା ବରୁଆ, ଖୁଦୀରାମ ପ୍ରଭୃତିଙ୍କୁ କିଏ ଛୋଟ କହିବ? “ଝଡ଼ଠାରୁ ଆହୁରି ସେ ବଡ଼, ମେଘଠାରୁ ଆହୁରି ସେ କଳା । ସାନ ଦେହେ ଖେଳେ ତାର ଜୀବନର ଅଲିଭା ଚପଳା ।”

ଶିଶୁମାନେ ଛୋଟ ନୁହନ୍ତି - ଏହି ସନ୍ଦେଶ ଦେଇଥିଲା ‘ଚିଲ୍ଲର ପାର୍ଟି’ ସିନେମା । ୨୦୧୧ରେ ତାହା ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବରେ ଜାତୀୟ ପୁରସ୍କାର ଲାଭ କରିଥିଲା । ପ୍ରିୟ ବୁଲା କୁକୁରର ବଞ୍ଚିବା ଅଧିକାର ସାବ୍ୟସ୍ତ କରିବା ପାଇଁ ପିଲାଙ୍କ ସଂଗ୍ରାମର କାହାଣୀ ସହ ସେମାନଙ୍କ ବୁଦ୍ଧିମତ୍ତା, ଆଦର୍ଶବୋଧ, ନିଷ୍ଠାପରତା ଓ ପରିଶ୍ରମ ସେଥିରେ ଅଭିବ୍ୟକ୍ତ ହୋଇଛି । ମୁକୁଳା ଦେହରେ ଚିଲ୍ଲର ପାର୍ଟିର ସଦସ୍ୟମାନେ ପଦଯାତ୍ରା (ଚଡ୍ଡି ମାର୍ଚ୍ଚ) କଲାଭଳି ପ୍ରକୃତି ଓ ପରିବେଶ ପାଇଁ ଲଢ଼େଇକୁ ବାହାରିଲେଣି ଶିଳାଗୃହ ଅନ୍ଧକାରବାସୀ ଶିଶୁ । ସ୍ୱିଡ଼େନର ଗ୍ରେଟା ଥମ୍ବର୍ଗ ସହ ଲିସିପ୍ରିୟା କଗୁଜାମ୍, ଋଦ୍ଧିମା ପାଣ୍ଡେ, ଶାଲଭୀ ସାକ୍ଷୀ, ଜାଡ଼େନ୍ ଆଣ୍ଟୋନୀ, ଟିମୋଚି ନୌଲୁସାଲ ପ୍ରଭୃତି  ପରିବେଶ ଆନ୍ଦୋଳନକୁ ଲମ୍ଫ ଦେଲେଣି । ୧୪ ବର୍ଷର ବାଳିକା ଗ୍ରେଟା ଥମ୍ବର୍ଗ ଜାତିସଂଘରେ ବିଶ୍ୱନେତାଙ୍କୁ ଦେଇଛି ଶାଣିତ ଚେତାବନୀ -

“ଫମ୍ପା ପ୍ରତିଶ୍ରୁତିରେ ତୁମେ ମୋ ସ୍ୱପ୍ନ ଆଉ ପିଲାଦିନ ହରିଲ । ଲୋକେ ଏବେ ଯନ୍ତଣାରେ ସଢ଼ୁଛନ୍ତି, ମରୁଛନ୍ତି । ପ୍ରାକୃତିକ ପରିବେଶ ଲୁଣ୍ଠିତ । ସମୂହ ବିନାଶର ଦ୍ୱାର ଦେଶରେ ମାନବ ଜାତି । ଅଥଚ ତୁମେ ଆର୍ଥିକ ବିକାଶର ପରୀକାହାଣୀ ଶୁଣାଉଛ ଆମକୁ । କେଡ଼େ ସାହସ ତୁମର!”

ନଭେମ୍ବର, ୨୦୨୧