ପ୍ରଶ୍ନ : ଆଭିମୁଖ୍ୟଯୁକ୍ତ କ୍ରିୟାପଦ ସର୍ବଦା -----
ହୋଇଥାଏ ।
କ. ସରଳ କ୍ରିୟା, ଖ. ସହାୟକ କ୍ରିୟା, ଗ. ଯୌଗିକ କ୍ରିୟା, ଘ. କେଉଁଟି ନୁହେଁ
ଶେଷ (ଘ) ଉତ୍ତରଟିକୁ ଶେଷକୁ ରଖି ପ୍ରଥମେ ଅନ୍ୟ ତିନି ସମ୍ଭାବ୍ୟ ଉତ୍ତର
ପରୀକ୍ଷା କରାଯାଉ ।
(କ) ସରଳ କ୍ରିୟା - ଏହାକୁ ‘ଏକକ କ୍ରିୟା’
ମଧ୍ୟ କୁହାଯାଏ (ଧନେଶ୍ୱର ମହାପାତ୍ର), କାରଣ ଏଥିରେ ଗୋଟିଏ ଧାତୁ ଓ ଗୋଟିଏ ବିଭକ୍ତି ଥାଏ । ଯଥା, ଖେଳେ (ଖେଳ୍+ଏ), ଖେଳନ୍ତି (ଖେଳ୍+ଅନ୍ତି), ଖେଳୁ (ଖେଳ୍+ଉ) । ଏ, ଅନ୍ତି, ଉ – ଏଗୁଡ଼ିକ କ୍ରିୟାର ପୁରୁଷ ଓ ବଚନ ସଙ୍କେତ
ଥିବା ବିଭକ୍ତି । ପ୍ରଫେସର ଖଗେଶ୍ୱର ମହାପାତ୍ର ଏହାକୁ ସରଳକ୍ରିୟାର ଗୋଟିଏ ପ୍ରକାର (ମୌଳିକ
ସରଳ ରୂପ = ପ୍ରକୃତି+ପୁରୁଷ ଓ ବଚନ) କହି ଏହାର ଆଉ ଏକ ପ୍ରକାର ଥିବା ଦର୍ଶାଇଛନ୍ତି । ତାହାର
ରୂପ ହେଲା ପ୍ରକୃତି+କାଳ /ଭାବ+ପୁରୁଷ ଓ ବଚନ, ଯଥା – କଲି (କର୍+ଅତୀତ କାଳ ଇଲ+ ପ୍ରଥମପୁରୁଷ ଏକ ବଚନ ଇ) । ତେବେ ଉଭୟ ପ୍ରକାର
ସରଳକ୍ରିୟାରେ ‘ଆଭିମୁଖ୍ୟ’ ଯୁକ୍ତ ନାହିଁ । ତେଣୁ (କ) ଠିକ୍ ନୁହେଁ ।
(ଖ) ସହାୟକ କ୍ରିୟା – ସହାୟକ କ୍ରିୟା, କ୍ରିୟାର ଅଂଶବିଶେଷ, ସ୍ୱତନ୍ତ୍ର କ୍ରିୟାପଦ ନୁହେଁ । ଓଡ଼ିଆରେ
ମାତ୍ର ଦୁଇଟି ସହାୟକ କ୍ରିୟା ଅଛି, ଯଥା - ଅଛ୍ ଓ ଥା । ତେଣୁ (ଖ) ମଧ୍ୟ ଠିକ୍
ନୁହେଁ । ଏବେ ପରବର୍ତ୍ତୀ ସମ୍ଭାବ୍ୟ ଉତ୍ତରକୁ ପରୀକ୍ଷା କରିବା ତାହା ଠିକ୍ କି ନୁହେଁ।
(ଗ) ଯୌଗିକ କ୍ରିୟା – ସମାପିକା କ୍ରିୟା ଦୁଇ ପ୍ରକାର – ସରଳ ଓ ଯୌଗିକ । ସରଳକ୍ରିୟା ସମ୍ପର୍କରେ (କ)ରେ ଆଲୋଚନା ସରିଛି । ସରଳ
କ୍ରିୟାରେ ଆଭିମୁଖ୍ୟ + ସହାୟକ କ୍ରିୟା + ପୁରୁଷ ଓ ବଚନ + କାଳ ଓ ଭାବ ଯୁକ୍ତ ହେଲେ ତାହା
ଯୌଗିକ କ୍ରିୟାପଦରେ ପରିଣତ ହୁଏ। ଯୌଗିକ କ୍ରିୟାରେ ଦୁଇଟି କ୍ରିୟା ଥାଏ ପ୍ରଥମ କ୍ରିୟାରେ
ଆଭିମୁଖ୍ୟ ଓ ଦ୍ୱିତୀୟ ବା ସହାୟକ କ୍ରିୟାରେ ପୁରୁଷ, ବଚନ ଓ କାଳ ଯୁକ୍ତ ଥାଏ। ତେଣୁ ଯୌଗିକ କ୍ରିୟାରେ ଅଭିଭୁଖ୍ୟ ଯୁକ୍ତ ହୋଇଥାଏ ।
ଓଡ଼ିଆରେ ଅଭିମୁଖ୍ୟ ଦୁଇଟି : ଅସଂପନ୍ନ (ଉ) ଓ ସଂପନ୍ନ
(ଇ) । ଉଦାହରଣ ସ୍ୱରୂପ ଯାଉଥିଲା ଓ ଯାଇଥିଲା : ଉଭୟରେ ଥିଲା ସହାୟକ ବା ଦ୍ୱିତୀୟ କ୍ରିୟା
ହେଲାବେଳେ ପ୍ରଥମ କ୍ରିୟା ଯା ସହିତ ଉ ଓ ଇ ଆଭିମୁଖ୍ୟ ଯୁକ୍ତ ହୋଇ କାର୍ଯ୍ୟର ସଂପନ୍ନ ବା
ଅସପଂନ୍ନ ସୂଚାଉଛି । ତେଣୁ ଯୌଗିକ କ୍ରିୟାରେ ଆଭିମୁଖ୍ୟ ଯୁକ୍ତ ହୋଇଥାଏ । ବ୍ୟାକରଣକାର ସ୍ପଷ୍ଟ
ନିର୍ଦ୍ଦେଶ କରିଛନ୍ତି, “ଆଭିମୁଖ୍ୟଯୁକ୍ତ କ୍ରିୟାପଦଗୁଡ଼ିକର ରୂପ
ଯୌଗିକ”।
ଅତଏବ (ଗ) ଉତ୍ତରଟି ଠିକ୍ ।
(ଘ) ଚର୍ଚ୍ଚା ଅନାବଶ୍ୟକ ।
1 comment:
ମିଶ୍ର କ୍ରିୟା = ଆଭିମୁଖ୍ୟଯୁକ୍ତ କ୍ରିୟା ପଦ ହେଇପାରିବ କି ନାହିଁ?
Post a Comment