ରକ୍ତ ରଞ୍ଜିତ ଏକୋଇଶି ଫେବୃୟାରୀ
ଡକ୍ଟର ସତ୍ୟ ଷଡ଼ଙ୍ଗୀ
ଫେବୃୟାରୀ ଏକୋଇଶି ବାଂଲାଦେଶର ଗୋଟିଏ ଜାତୀୟ ପର୍ବ । ଏହା ସେ ଦେଶର ସ୍ଵାଧୀନତା ଦିବସ ନୁହେଁ କିନ୍ତୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସାରାଦେଶରେ ଖୁବ ଗମ୍ଭୀର ଭାବେ ପାଳନ କରାଯାଏ । ୧୯୫୨ ମସିହାର ଏହି ଦିନ ପ୍ରଜ୍ଜ୍ୱଳିତ ହୋଇଥିଲା ଅଭୂତପୂର୍ବ ଜାତୀୟତାର ଜ୍ୟୋତି, ଯାହାର କେନ୍ଦ୍ରରେ ଥିଲା ବାଂଲାଦେଶବାସୀଙ୍କ ପ୍ରାଣପ୍ରିୟ ମାତୃଭାଷା :
ବଙ୍ଗଳା । ଧର୍ମକୁ ପଛରେ ପକାଇ ମାତୃଭାଷାର ଟେକ ରଖିବା ପାଇଁ ଜଣକ ପରେ ଜଣେ ଛ' ଜଣ ଛାତ୍ର ଆତ୍ମବଳି ଦେଇଥିଲେ ସେଦିନ । ସେ ଦେଶର ଇତିହାସରେ ସେଥିପାଇଁ ତା'ର ନାଁ ଭାଷାଶହୀଦ ଦିବସ । ବାଂଲାଦେଶୀ ଜାତୀୟତାର ଏକ ଅବିସ୍ମରଣୀୟ ଦିନ- ଏକୋଇଶି ଫେବୃୟାରୀ । ଭାଷା-ଶହୀଦ ଦିବସର ଅସଲ ମହତ୍ତ୍ୱ ଓ ସେ ଦେଶର ଇତିହାସରେ ଏହାର ଗୁରୁତ୍ୱ ଉପଲବ୍ଧି କରିବାକୁ ହେଲେ ଆମକୁ ଭାରତୀୟ ଉପମହାଦେଶର ବିଭାଜନଠାରୁ ଆରମ୍ଭ କରିବାକୁ ପଡିବ ।
୧୯୪୬ ମସିହା ଅଗଷ୍ଟ ମାସ । ଭାରତୀୟ ଉପମହାଦେଶର ଗଗନ ପବନ କମ୍ପି ଉଠୁଥିଲା ସାମ୍ପ୍ରଦାୟିକ ଧର୍ମର ଜୟ ଜୟକାରରେ । ଧର୍ମନାମରେ ଚାଲିଥିଲା ନରସଂହାର । ପୂର୍ବ ଭାରତର ବଙ୍ଗପ୍ରଦେଶ ମଧ୍ୟ ସେଥିରୁ ମୁକ୍ତ ନ ଥିଲା। କଲିକତା ନଗରୀରେ ଦଙ୍ଗା ଚରମ ପର୍ଯ୍ୟାୟକୁ ଛୁଇଁଥିଲା । ଏଇ ସମୟରେ କଲିକତାର ମାଟିଆବୁରୁଜଠାରେ ରହୁଥିବା ବହୁ ଓଡ଼ିଆ ଶ୍ରମିକ ଏଇ ସାମ୍ପ୍ରଦାୟିକ ଗଣହତ୍ୟାର ଶିକାର ହୋଇଥିଲେ । ଗାନ୍ଧିଜୀ କଲିକତାରେ ଅନଶନ କରିବାରୁ ଦଙ୍ଗା ପ୍ରଶମିତ ହେଲା । କିନ୍ତୁ ତାହାର ଭୟାବହତା ଲକ୍ଷ୍ୟକରି ଭାରତୀୟ ଜାତୀୟ କଂଗ୍ରେସ ଆଉ ଅଖଣ୍ଡ ଭାରତର ସ୍ଵାଧୀନତା ଆଶା ରଖିପାରିଲା ନାହିଁ । ଭାଇସରାୟ ଆଡ଼ମିରାଲ ମାଉଣ୍ଟବ୍ୟାଟନ ବିଭାଜନର ଖସଡ଼ା ପ୍ରସ୍ତୁତ କଲେ । ସେଥିରେ ବଙ୍ଗପ୍ରଦେଶର ବିଭାଜନ ମଧ୍ୟ ପରିକଳ୍ପିତ ହୋଇଥିଲା । ମାତୃଭାଷାକୁ ନେଇ ବଙ୍ଗୀୟମାନଙ୍କର କେବେହେଲେ ମତଦ୍ୱୈଧ ନାହିଁ । ତେଣୁ ବିଭାଜନର ନିଶ୍ଚିତ ସମ୍ଭାବନା ଦେଖି ବଙ୍ଗଳାର ମୁସଲମାନ ନେତା ସୁହରାୱାର୍ଦ୍ଦି ଓ ହିନ୍ଦୁ ନେତା ଶରତ ଚନ୍ଦ୍ର ବସୁ [ବୋଷ] ଉଭୟେ ମିଶି ସ୍ଥିର କଲେ ଯେ ସେମାନେ ବଙ୍ଗଳା ଭାଷା ଭିତ୍ତିରେ ଏକ ସ୍ୱତନ୍ତ୍ର ସ୍ଵାଧୀନ ବଙ୍ଗରାଷ୍ଟ୍ର ଦାବି କରିବେ, ବଙ୍ଗକୁ ଖଣ୍ଡ ଖଣ୍ଡ କରାଇଦେବେ ନାହିଁ । ଲର୍ଡ ମାଉଣ୍ଟବ୍ୟାଟନ କୁଆଡ଼େ ଏ ପ୍ରସ୍ତାବରେ ରାଜିଥିଲେ କିନ୍ତୁ କଂଗ୍ରେସ ଏହାକୁ ପ୍ରତ୍ୟାଖ୍ୟାନ କଲା। ତେଣୁ ଯେତେବେଳେ ବିଭାଜନ ହେଲା ସେତେବେଳେ ଭାଷାକୁ ଛାଡି ଧର୍ମକୁ ଆଧାର କରାଗଲା । ମୁଷ୍ଟିମେୟ ଲୋକଙ୍କୁ ସେଦିନ ଧର୍ମ ବଡ ହୋଇ ଦେଖାଗଲା । ଅନ୍ନଦାଶଙ୍କର କବିତାରେ ଲେଖିଥିଲେ “ଛାର ତେଲ ଶିଶି ଭାଙ୍ଗିଦେଲା ବୋଲି ସାନ ପିଲାଟା ଉପରେ ଏତେ ରାଗ, ଆଉ ଯେଉଁ ବଡମାନେ ଦେଶଟାକୁ ଭାଙ୍ଗିଦେଲେ ସେମାନଙ୍କ ପାଇଁ....?" । ଧର୍ମ ଭିତ୍ତିରେ ପୂର୍ବବଙ୍ଗ ଅଲଗା ହୋଇ ନବଗଠିତ ସ୍ଵାଧୀନ ପାକିସ୍ତାନ ସହ ଯୁକ୍ତ ହେଲା । ତାହାର ନୂତନ ନାମ ହେଲା ପୂର୍ବ ପାକିସ୍ତାନ । ପଶ୍ଚିମ ପାକିସ୍ତାନଠାରୁ ହଜାରେ ମାଇଲ ଦୂରରେ ବିଚ୍ଛିନ୍ନ ଭାବରେ ଅବସ୍ଥିତ ଏଇ ପ୍ରଦେଶର ଲୋକମାନଙ୍କୁ ମୂଳ ଭୁଖଣ୍ଡର ଲୋକଙ୍କ ସହ ସଂପୃକ୍ତ କରି ରଖିବାକୁ ହେଲେ କେଉଁ ପନ୍ଥା ଅବଲମ୍ବନ କରାଯିବ ସେଥିପାଇଁ ଚିନ୍ତା କରାଗଲା । ପାକିସ୍ତାନର ଜାତିର ପିତା ତଥା ଶାସନମୁଖ୍ୟ ମହମ୍ମଦ ଅଲ୍ଲୀଜିହ୍ନା ଓ ତାଙ୍କ ପରାମର୍ଶଦାତାଗଣ ଏକକ ଭାଷା ସୂତ୍ର ଅବଲମ୍ବନ କଲେ। ଅର୍ଥାତ୍ ଉଭୟ ଅଞ୍ଚଳର ଲୋକଙ୍କ ଧର୍ମ ତ ଏକ ଥିଲା, ତା ସାଙ୍ଗକୁ ଯଦି ଭାଷା ମଧ୍ୟ ଏକ। ହୁଏ ତାହାହେଲେ ଜାତୀୟ ସଂହତି ପ୍ରତିଷ୍ଠିତ ହୋଇପାରିବ । ଏଥିପାଇଁ ଉର୍ଦ୍ଦୁଭାଷାକୁ ବଛାଗଲା। ଉର୍ଦ୍ଦୁ ହେଲା ସମଗ୍ର ପାକିସ୍ତାନ ରାଷ୍ଟ୍ରଭାଷା, ଯୋଗାଯୋଗର ମାଧ୍ୟମ ତଥା ପ୍ରଶାସନିକ ଭାଷା ।
ଆରବୀ, ପାର୍ଶି ଓ ହିନ୍ଦୀର ମିଶ୍ରଣରେ ସୃଷ୍ଟ ଉର୍ଦ୍ଦୁଭାଷା ଗୋଟିଏ ଅତି ପ୍ରାଚୀନ ଭାଷା ନ ହେଲେ ବି ଉଚ୍ଚକୋଟୀର ଭାବ ତଥା ଆବେଗ ପ୍ରକାଶ ପାଇଁ ଏହାର ଯୋଗ୍ୟତା ଥିବା ବିଷୟ ମିର୍ଜା ଗାଲିବ ପ୍ରଭୃତି କବିଙ୍କ ରଚନାରେ ପ୍ରତିପାଦିତ । ଏସବୁ ସତ୍ତେ ଏହି ଭାଷାକୁ ଅଳ୍ପ ଲୋକ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିଲେ। ସୈନ ବହିନୀ ତଥା ସରକାରୀ କର୍ମଚାରୀମାନଙ୍କ ଗହଣରେ ଏ ଭାଷାର ବିଶେଷ ·
ପ୍ରଚଳନ ଥିଲା। ପ୍ରଫେସର କେ.କେ, ଅଜିଜ କହନ୍ତି, ୧୯୪୮ରେ ଉର୍ଦ୍ଦୁକୁ ପାକିସ୍ତାନର ଜାତୀୟ ଭାଷା ଘୋଷଣା କରାଗଲା ବେଳକୁ ଏହା ଥିଲା ପାକିସ୍ତାନ ଜନତାର ମାତ୍ର ଦୁଇ ଶତାଂଶ ଲୋକଙ୍କ ମାତୃଭାଷା । ତେବେ ପଶ୍ଚିମ ପାକିସ୍ତାନ ପାଇଁ ଏହା ବୋଧହୁଏ ସେତେ ଗୁରୁତର ସମସ୍ୟା ରୂପେ ଛିଡ଼ା ହୋଇ ନ ଥିଲା। କିନ୍ତୁ ପୂର୍ବ ପାକିସ୍ତାନର ଜନତା ବଙ୍ଗଳାଭାଷୀ । ସେମାନଙ୍କ ମାତୃଭାଷା ବଙ୍ଗଳା । ଧର୍ମୀୟ ଆବଶ୍ୟକତା ଦୃଷ୍ଟିରୁ କେହି କେହି ଆରବୀ ଭାଷା ଶିଖିଥିଲେ ମଧ୍ୟ ଉର୍ଦ୍ଦୁଭାଷା ସହ ସେମାନେ ଅଭ୍ୟସ୍ତ ନଥିଲେ କହିଲେ ଚଳେ । ଅହୁରି ମଧ୍ୟ ମାତୃଭାଷା ପ୍ରତି ସେମାନଙ୍କ ଆନ୍ତରିକତା ଯଥେଷ୍ଟ । ତେଣୁ ଉର୍ଦ୍ଦୁଭାଷା ପୂର୍ବପାକିସ୍ତାନର ଲୋକଙ୍କୁ ଅଡୁଆ ହେଲା । ସରକାରଙ୍କ ଭାଷାନୀତି ପ୍ରତି ଜନଅସନ୍ତୋଷ ଦେଖାଦେଲା ପୂର୍ବପାକିସ୍ତାନରେ । ସଭାସମିତି ଓ ଗଣମାଧ୍ୟମରେ ପୂର୍ବପାକିସ୍ତାନବାସୀ ସେମାନଙ୍କ ଉପରେ ଜୋର କରି ଲଦିଦିଆଯାଇଥିବା ଭାଷାର ଉଚ୍ଛେଦ ପାଇଁ ଦାବି କଲେ । ଆପଣା ପ୍ରଦେଶରେ ବଙ୍ଗଳାଭାଷାର ପ୍ରଚଳନକୁ ମାନିନେବାକୁ ସରକାରଙ୍କୁ ପ୍ରବର୍ତ୍ତାଇଲେ । କିନ୍ତୁ ସରକାର ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ । ମାତୃଭାଷାର ମର୍ଯ୍ୟାଦା ପାଇଁ ଶିକ୍ଷିତମାନେ ଆଗେଇ ଆସିଲେ । କ୍ରମେ ଭାଷା ଆନ୍ଦୋଳନ ଜମାଟ ବାନ୍ଧିଲା । ଛାତ୍ରସମାଜ ଏହି ଆନ୍ଦୋଳନରେ ବିଶେଷଭାବେ ସହଯୋଗ କରିଥିଲେ । ଆନ୍ଦୋଳନ ଚରମ ପର୍ଯ୍ୟାୟରେ ପହଞ୍ଚିଲା । ୧୯୫୨ ମସିହା ଫେବୃୟାରୀ ୨୧ ତାରିଖ ଦିନ ଢାକା ବିଶ୍ୱବିଦ୍ୟାଳୟର ଛାତ୍ରମାନେ ସରକାରଙ୍କ ଭାଷା ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଏକ ପଟୁଆରରେ ବାହାରିଲେ । ଉର୍ଦ୍ଦୁଭାଷା ପରିବର୍ତ୍ତେ ପୂର୍ବ ପାକିସ୍ତାନରେ ବଙ୍ଗଳା ଭାଷା ପ୍ରଚଳନ ଥିଲା ସେମାନଙ୍କର ପ୍ରଧାନ ଦାବି । ଏହାକୁ ସମ୍ବିଧାନବିରୋଧୀ ଭାବେ ଚିତ୍ରଣ କରି ପଟୁଆରକୁ ଛିନ୍ନଛତ୍ର କରିଦେବା ପାଇଁ ପୋଲିସ ଜରିଆରେ ଚେଷ୍ଟା କରାଗଲା । ଛାତ୍ରମାନେ ଭୟରେ ନ ଦବି ବିକ୍ଷୋଭ ପ୍ରଦର୍ଶନ ଅବ୍ୟାହତ ରଖିଲେ। ଶେଷକୁ ପୋଲିସ ଗୁଳି ଚାଳନା କଲା। ବଙ୍ଗଳା ଭାଷାର ଜୟଧ୍ୱନି କରି ଛଅ ଜଣ ଛାତ୍ର ଟଳି ପଡିଲେ । ମାତୃଭାଷାର ଶ୍ରେଷ୍ଠତା ପ୍ରତିପାଦିତ ହେଲା । ସମଗ୍ର ବିଶ୍ୱ ସ୍ତମ୍ଭୀଭୂତ ହୋଇଗଲା । ଅବଶେଷରେ ବଙ୍ଗଳା ଭାଷାକୁ ପାକିସ୍ତାନର ଅନ୍ୟତମ ଭାଷା ରୂପେ ସ୍ୱୀକୃତି ମିଳିଲା।
ଭାଷା ଆନ୍ଦୋଳନ ହିଁ ବାଂଲାଦେଶର ମୁକ୍ତି ସଂଗ୍ରାମର ବୀଜବପନ କରିଥିଲା । ପୂର୍ବ ପାକିସ୍ତାନବାସୀ ଇଂରେଜଙ୍କଠାରୁ ସ୍ଵାଧୀନତା ଲାଭ କରି ନୂତନ ରାଷ୍ଟ୍ରରେ ମୁକ୍ତ ଜୀବନର ଯେଉଁ ସ୍ଵପ୍ନ ଦେଖିଲେ -
ଉର୍ଦ୍ଦୁଭାଷା ପ୍ରଚଳନରେ ହିଁ ତାହା ଧୂଳିସାତ୍ ହୋଇଗଲା । ନୂତନ ରାଷ୍ଟ୍ରରେ ମାତୃଭାଷାର ହତାଦର ଦେଖି ସେମାନଙ୍କ ସବୁ ଆଶା ପାଣି ଫାଟିଗଲା । ଏହା ଯେ ଆଉ ଏକ ଉପନିବେଶବାହର ଆରମ୍ଭ ତାହା ସେମାନଙ୍କର ହୃଦବୋଧ ହୋଇସାରିଥିଲା । ତେଣୁ କୁହାଯାଇଥାଏ ଭାଷା ଆନ୍ଦୋଳନ ହିଁ ରୂପ ବଦଳାଇ ସ୍ଵାଧୀନତା ଆନ୍ଦୋଳନରେ ପରିଣତ ହୋଇଥିଲା । ଆଓ୍ୱାମୀ ଲିଗ୍ ନାମକ ରାଜନୈତିକ ସଂଗଠନ ମୁକ୍ତି ଆନ୍ଦୋଳନ ପରିଚାଳନା କରିଥିଲା; ଯାହାର ପରିଣାମ ସରୂପ ୧୯୭୧ ଡିସେମ୍ବର ୧୬ ତାରିଖରେ ପୂର୍ବ ପାକିସ୍ତାନ ବାଂଲାଦେଶ ନାମ ନେଇ ସ୍ଵାଧୀନ ହେଲା ।
ମାତୃଭୂମି ପାଇଁ ଶହୀଦ ହେବା ହୁଏତ ନୂଆ କଥା ନୁହେଁ, ପୃଥିବୀର କେତେ କେତେ ଦେଶରେ ତାହାର ଉଜ୍ଜ୍ୱଳ ଉଦାହରଣ ରହିଛି । କିନ୍ତୁ ମାତୃଭାଷା ପାଇଁ ଅକୁଣ୍ଠ ମମତା ଓ ସେଥିପାଇଁ ଆତ୍ମବଳିଦାନ ବିଶ୍ୱ ଇତିହାସରେ ଗୋଟିଏ ବିରଳ ନଜୀର । ବୋଧହୁଏ ସାରା ବିଶ୍ୱରେ ବଙ୍ଗଳା ଦେଶ କେବଳ ସେଇ ଗୌରବର ଅଧିକାରୀ । ଆଉ ସେଇ ସ୍ମୃତିକୁ ପ୍ରତିବର୍ଷ ପାଳନ କରି ଉଜୀବିତ କରି ରଖିବା ମଧ୍ୟ ବଙ୍ଗଳା ଦେଶବାସୀଙ୍କ ମାତୃଭାଷା ପ୍ରତି ଥିବା ପ୍ରଗାଢ ମମତାର ଜ୍ୱଳନ୍ତ ନିଦର୍ଶନ ।
ଧରିତ୍ରୀ ୨୧.୦୨.୨୦୦୦
1 comment:
Sir, Your teaching is a wonderful miraculous.
Sir ,I am Nakul Mahanty student at Nachuni college.(2016-2018)
Post a Comment