ଓଡ଼ିଆ କ୍ରିୟାର 'ଣି' ପ୍ରତ୍ୟୟ ଗୋଟିଏ ଉଲ୍ଲେଖଯୋଗ୍ୟ ବୈଶିଷ୍ଟ୍ୟ। ଅପକାରକୁ ଭାଷାରେ ଏହା ନାହିଁ। ତେଣୁ ଅନ୍ୟ ଭାଷା ଛାଂଚରେ ରଚିତ ଓଡ଼ିଆ ବ୍ଯାକରଣରେ ଆମ ଭାଷାର ଏହି ମୌଳିକତା ବର୍ଣ୍ଣିତ ହୋଇନାହିଁ।
'ଣି' ପ୍ରତ୍ଯୟର ବିଶେଷତ୍ୱ ହେଲା-
* ଏହା କ୍ରିୟାପଦର ଶେଷରେ ଯୁକ୍ତ ହୁଏ। ଯଥା- ଗଲାଣି, ପଢିଲେଣି।
* ଏହା ବର୍ତ୍ତମାନ ଓ ଆଭ୍ଯାସିକ କ୍ରିୟାରୂପ ବ୍ଯତୀତ ଅନ୍ୟ ସବୁ କାଳ ଓ ଭଂଗୀର କ୍ରିୟାରୂପ ସହିତ ଯୁକ୍ତ ହୋଇପାରେ। * ଭିନ୍ନ ଭିନ୍ନ କ୍ରିୟାପଦ ସହିତ ମିଶି ଭିନ୍ନଭିନ୍ନ ଅର୍ଥ ସୂଚିତ କରେ। ସାମାନ୍ଯ ଅତୀତ ଓ ସମ୍ପନ୍ନ କ୍ରିୟାପଦ ସହ ମିଶି ସମାପ୍ତି ସୂଚକ (ମୁଁ ଗଲାବେଳକୁ ସେ ଫେରିଲେଣି), ଭବିଷ୍ଯତ ଓ ସର୍ତ୍ତମୂଳକ କ୍ରିୟାପଦ ସହ ସମ୍ଭାବ୍ଯ-ସମାପ୍ତି (ରାଗିବଣି), ଅନୁଜ୍ଞା ବା ଆଦେଶାତ୍ମକ ସହ ଅନୁରୋଧ ବା ସମାଦରାତ୍ମକ (ଦେଖନି କେ ବନସ୍ତେ ଅଛଇ) ଅର୍ଥ ପ୍ରକାଶ କରେ।
ଏବେ ନିମ୍ନ ପ୍ରଶ୍ନ ତିନୋଟିର ଉତ୍ତର ବାଛିବା ସହଜ ହେବ।
ପ୍ରଶ୍ନ: 'ଣି' ପ୍ରତ୍ଯୟ କ୍ରିୟାପଦ ___ ଯୁକ୍ତ ହୋଇଥାଏ।
କ. ଆରମ୍ଭରେ,
ଖ. ଶେଷରେ,
ଗ. ମଝିରେ,
ଘ. କେଉଁଟି ନୁହେଁ
ଉତ୍ତର: ଶେଷରେ
ପ୍ରଶ୍ନ: ସେ ଖାଇବଣି। - ଏ ବାକ୍ଯରେ 'ଣି' ପ୍ରତ୍ଯୟ ___ ଅର୍ଥରେ ବ୍ଯବହୃତ।
କ. ସମାପ୍ତି
ଖ. ସମ୍ଭାବ୍ଯ
ଗ. ଅନୁଜ୍ଞା
ଘ. ଭବିଷ୍ଯତ
ଉତ୍ତର: ସମ୍ଭାବ୍ଯ-ସମାପ୍ତି
ପ୍ରଶ୍ନ: 'ଣି' ପ୍ରତ୍ଯୟ ___ ଭାବରେ ବିବେଚିତ ହୁଏନାହିଁ।
କ. ସମ୍ଭାବ୍ଯ
ଖ. ବର୍ତ୍ତମାନ
ଗ. ଅନୁଜ୍ଞା
ଘ. ଭବିଷ୍ଯତ
ଉତ୍ତର: ବର୍ତ୍ତମାନ
Tuesday, February 12, 2019
Monday, February 11, 2019
A S O ଓଡ଼ିଆ ପ୍ରଶ୍ନ :
ପ୍ରଶ୍ନ : ଆଭିମୁଖ୍ୟଯୁକ୍ତ କ୍ରିୟାପଦ ସର୍ବଦା -----
ହୋଇଥାଏ ।
କ. ସରଳ କ୍ରିୟା, ଖ. ସହାୟକ କ୍ରିୟା, ଗ. ଯୌଗିକ କ୍ରିୟା, ଘ. କେଉଁଟି ନୁହେଁ
ଶେଷ (ଘ) ଉତ୍ତରଟିକୁ ଶେଷକୁ ରଖି ପ୍ରଥମେ ଅନ୍ୟ ତିନି ସମ୍ଭାବ୍ୟ ଉତ୍ତର
ପରୀକ୍ଷା କରାଯାଉ ।
(କ) ସରଳ କ୍ରିୟା - ଏହାକୁ ‘ଏକକ କ୍ରିୟା’
ମଧ୍ୟ କୁହାଯାଏ (ଧନେଶ୍ୱର ମହାପାତ୍ର), କାରଣ ଏଥିରେ ଗୋଟିଏ ଧାତୁ ଓ ଗୋଟିଏ ବିଭକ୍ତି ଥାଏ । ଯଥା, ଖେଳେ (ଖେଳ୍+ଏ), ଖେଳନ୍ତି (ଖେଳ୍+ଅନ୍ତି), ଖେଳୁ (ଖେଳ୍+ଉ) । ଏ, ଅନ୍ତି, ଉ – ଏଗୁଡ଼ିକ କ୍ରିୟାର ପୁରୁଷ ଓ ବଚନ ସଙ୍କେତ
ଥିବା ବିଭକ୍ତି । ପ୍ରଫେସର ଖଗେଶ୍ୱର ମହାପାତ୍ର ଏହାକୁ ସରଳକ୍ରିୟାର ଗୋଟିଏ ପ୍ରକାର (ମୌଳିକ
ସରଳ ରୂପ = ପ୍ରକୃତି+ପୁରୁଷ ଓ ବଚନ) କହି ଏହାର ଆଉ ଏକ ପ୍ରକାର ଥିବା ଦର୍ଶାଇଛନ୍ତି । ତାହାର
ରୂପ ହେଲା ପ୍ରକୃତି+କାଳ /ଭାବ+ପୁରୁଷ ଓ ବଚନ, ଯଥା – କଲି (କର୍+ଅତୀତ କାଳ ଇଲ+ ପ୍ରଥମପୁରୁଷ ଏକ ବଚନ ଇ) । ତେବେ ଉଭୟ ପ୍ରକାର
ସରଳକ୍ରିୟାରେ ‘ଆଭିମୁଖ୍ୟ’ ଯୁକ୍ତ ନାହିଁ । ତେଣୁ (କ) ଠିକ୍ ନୁହେଁ ।
(ଖ) ସହାୟକ କ୍ରିୟା – ସହାୟକ କ୍ରିୟା, କ୍ରିୟାର ଅଂଶବିଶେଷ, ସ୍ୱତନ୍ତ୍ର କ୍ରିୟାପଦ ନୁହେଁ । ଓଡ଼ିଆରେ
ମାତ୍ର ଦୁଇଟି ସହାୟକ କ୍ରିୟା ଅଛି, ଯଥା - ଅଛ୍ ଓ ଥା । ତେଣୁ (ଖ) ମଧ୍ୟ ଠିକ୍
ନୁହେଁ । ଏବେ ପରବର୍ତ୍ତୀ ସମ୍ଭାବ୍ୟ ଉତ୍ତରକୁ ପରୀକ୍ଷା କରିବା ତାହା ଠିକ୍ କି ନୁହେଁ।
(ଗ) ଯୌଗିକ କ୍ରିୟା – ସମାପିକା କ୍ରିୟା ଦୁଇ ପ୍ରକାର – ସରଳ ଓ ଯୌଗିକ । ସରଳକ୍ରିୟା ସମ୍ପର୍କରେ (କ)ରେ ଆଲୋଚନା ସରିଛି । ସରଳ
କ୍ରିୟାରେ ଆଭିମୁଖ୍ୟ + ସହାୟକ କ୍ରିୟା + ପୁରୁଷ ଓ ବଚନ + କାଳ ଓ ଭାବ ଯୁକ୍ତ ହେଲେ ତାହା
ଯୌଗିକ କ୍ରିୟାପଦରେ ପରିଣତ ହୁଏ। ଯୌଗିକ କ୍ରିୟାରେ ଦୁଇଟି କ୍ରିୟା ଥାଏ ପ୍ରଥମ କ୍ରିୟାରେ
ଆଭିମୁଖ୍ୟ ଓ ଦ୍ୱିତୀୟ ବା ସହାୟକ କ୍ରିୟାରେ ପୁରୁଷ, ବଚନ ଓ କାଳ ଯୁକ୍ତ ଥାଏ। ତେଣୁ ଯୌଗିକ କ୍ରିୟାରେ ଅଭିଭୁଖ୍ୟ ଯୁକ୍ତ ହୋଇଥାଏ ।
ଓଡ଼ିଆରେ ଅଭିମୁଖ୍ୟ ଦୁଇଟି : ଅସଂପନ୍ନ (ଉ) ଓ ସଂପନ୍ନ
(ଇ) । ଉଦାହରଣ ସ୍ୱରୂପ ଯାଉଥିଲା ଓ ଯାଇଥିଲା : ଉଭୟରେ ଥିଲା ସହାୟକ ବା ଦ୍ୱିତୀୟ କ୍ରିୟା
ହେଲାବେଳେ ପ୍ରଥମ କ୍ରିୟା ଯା ସହିତ ଉ ଓ ଇ ଆଭିମୁଖ୍ୟ ଯୁକ୍ତ ହୋଇ କାର୍ଯ୍ୟର ସଂପନ୍ନ ବା
ଅସପଂନ୍ନ ସୂଚାଉଛି । ତେଣୁ ଯୌଗିକ କ୍ରିୟାରେ ଆଭିମୁଖ୍ୟ ଯୁକ୍ତ ହୋଇଥାଏ । ବ୍ୟାକରଣକାର ସ୍ପଷ୍ଟ
ନିର୍ଦ୍ଦେଶ କରିଛନ୍ତି, “ଆଭିମୁଖ୍ୟଯୁକ୍ତ କ୍ରିୟାପଦଗୁଡ଼ିକର ରୂପ
ଯୌଗିକ”।
ଅତଏବ (ଗ) ଉତ୍ତରଟି ଠିକ୍ ।
(ଘ) ଚର୍ଚ୍ଚା ଅନାବଶ୍ୟକ ।
Sunday, February 10, 2019
ଖାଇଦେଲା – କ୍ରିୟାପଦରେ ‘ଦେଲା’ର ପରିଚୟ କଣ ?
ଖାଇଦେଲା – କ୍ରିୟାପଦରେ ‘ଦେଲା’ର ପରିଚୟ କଣ ?
ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଆଡ଼ିସିନାଲ
ସେକ୍ସନ ଅଫିସର ପଦ ପାଇଁ ପରୀକ୍ଷା ୨୦.୦୧.୧୯ ତାରିଖରେ ଶେଷ ହୋଇଛି । ପରୀକ୍ଷା ଦେଇଥିବା କିଛି
ପ୍ରତ୍ୟାଶୀ ଓଡ଼ିଆ ଭାଷା ବିଷୟକ ପ୍ରଶ୍ନ ସମ୍ପର୍କରେ ମୋର ମତାମତ ଲୋଡ଼ିଥିଲେ । ମୁଁ ବ୍ୟାକରଣବିତ୍
ନୁହେଁ, କିନ୍ତୁ ଆବଶ୍ୟକ ହେଲେ ଚର୍ଚ୍ଚା କରିଥାଏ ।
ତେଣୁ ସେମାନଙ୍କୁ ଭାବିଚିନ୍ତି କହିବି ବୋଲି ପ୍ରତିଶ୍ରୁତି ଦେଲି । ଏବେ ‘ସମାଜ’ର ୨.୨.୧୯ ଶନିବାର ସଂସ୍କରଣରେ ଜଣେ
ପତ୍ରପ୍ରେରକ ପ୍ରଶ୍ନପତ୍ରର ତ୍ରୁଟିବିଚ୍ୟୁତି ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି । ତାଙ୍କର ଅଭିଯୋଗ
ହେଉଛି, “ଆୟୋଗ ତରଫରୁ ଯେଉଁ ସିଲାବସ୍ ପିଲାମାନଙ୍କୁ ଦିଆଯାଇଥିଲା,
ସେ ଆଧାରରେ ପ୍ରଶ୍ନ ତିଆରି ହୋଇନାହିଁ । ୧୦୦ଟି
ପ୍ରଶ୍ନ ମଧ୍ୟରୁ ୭୦ରୁ ଅଧିକ କେବଳ ‘କ୍ରିୟା’ ଉପରେ ଆଧାରିତ ପ୍ରଶ୍ନ ଥିଲା ।” ତେଣୁ ସେ
କହିଛନ୍ତି, “ଯେଉଁ ଓଡ଼ିଆ ଭାଷା ବିଶେଷଜ୍ଞ ଏହି
ପ୍ରଶ୍ନଗୁଡ଼ିକ ତିଆରି କରିଛନ୍ତି, ସେ ଦୟା ପୂର୍ବକ କହିବେ କି ସେହି
କ୍ରିୟାଗୁଡ଼ିକ କେଉଁ ଓଡ଼ିଆ ବ୍ୟାକରଣ ବହିରେ ରହିଛି କିମ୍ବା କେଉଁ ଶ୍ରେଣୀର ବ୍ୟାକରଣ
ପାଠ୍ୟପୁସ୍ତକରେ ପଢ଼ାଯାଉଛି? ପୁନଶ୍ଚ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ମଧ୍ୟ
ଗଣମାଧ୍ୟମରେ ଆୟୋଗ ପ୍ରକାଶ କରନ୍ତୁ ।” ପତ୍ରପ୍ରେରକଙ୍କ ପ୍ରଶ୍ନ ବିଷୟରେ ମୋର କିଛି
କହିବାର ନାହିଁ । ପଡ଼ିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ମୋତେ ମିଶାଇ ସମସ୍ତଙ୍କ ଆବଶ୍ୟକ ହେଉଥିବାରୁ
ମୁଁ ତାହାର ଅନ୍ୱେଷଣରେ ପ୍ରବୃତ୍ତ ହୋଇଛି ମାତ୍ର ।
ପ୍ରଶ୍ନ – ଖାଇଦେଲା କ୍ରିୟାପଦରେ ‘ଦେଲା’ ଏକ ----- କ୍ରିୟା ।
କ. ସହାୟକ କ୍ରିୟା ଖ. ସାହାଯ୍ୟକାରୀ କ୍ରିୟା ଗ.
ମିଶ୍ର କ୍ରିୟା ଘ. ଅମିଶ୍ର କ୍ରିୟା
ଦିଆଯାଇଥିବା ସମ୍ଭାବ୍ୟ ୪ଟି ଉତ୍ତର ମଧ୍ୟରୁ
ପ୍ରତ୍ୟେକକୁ ପରୀକ୍ଷା କରାଯାଉ । ପ୍ରଥମେ ଘ. ।
ଘ. ଅମିଶ୍ର କ୍ରିୟା – ଯେଉଁ କ୍ରିୟା ଗୋଟିଏ ମାତ୍ର ପଦରେ ଗଠିତ ହୋଇଥାଏ । ଯଥା – ହସେ, ପଢ଼ିଲି ଖାଇବି । ତେଣୁ ଏହା ସଠିକ ଉତ୍ତର
ନୁହେଁ । କାରଣ ‘ଖାଇଦେଲା’ରେ ୨ଟି ପଦ (ଖାଇ + ଦେଲା) ରହିଛି ।
ଗ. ମିଶ୍ର କ୍ରିୟା – ଯେଉଁ କ୍ରିୟା ୨ ବା ଅଧିକ ପଦରେ ଗଠିତ । ଯଥା –
(ଅ) ପଠନ କଲି, ଗମନ କଲି, ଭୋଜନ କରିବି ଇତ୍ୟାଦି
(ଆ) ଇ-କାରାନ୍ତ ଅସମାପିକା କ୍ରିୟାରୁ ପଡ଼୍ (ଖସିପଡ଼ିବା),
ଉଠ୍ (ଜାଗିଉଠିବା), ଦେ (ଖାଇଦେବା), ନେ (ଦେଖିନେବା), ଯା (ଚାଲିଯିବା), ପାର (କରିପାରିବା)୍, ସାର୍ (ରାନ୍ଧିସାରିବା), ପକା (କାନ୍ଦିପକାଇବା), ଆଣ୍ (ଉଠାଇଆଣିବା) ପ୍ରଭୃତି ଧାତୁ ଯୋଗରେ ଗଠିତ କ୍ରିୟା
(ଇ) ମିଶ୍ର
କ୍ରିୟା ୩ ଧାତୁ ବିଶିଷ୍ଟ ମଧ୍ୟ ହୋଇପାରେ, ଯଥା – ଶୁଣି+ଥାଇ+ପାରେ, କରି+ଦେଇ+ପାରେ
ଏ ଦୃଷ୍ଟିରୁ ‘ଖାଇଦେଲା’ ଗୋଟିଏ ମିଶ୍ରକ୍ରିୟା ହୋଇଥିବାରୁ ଗ. ସଠିକ୍
ଉତ୍ତର, କିନ୍ତୁ ପ୍ରଶ୍ନରେ ‘ଖାଇଦେଲା’ ବଦଳରେ ‘ଦେଲା’ ପଦକୁ କେଉଁ କ୍ରିୟା ବୋଲି ପଚରାଯାଇଛି ।
ଅର୍ଥାତ୍ ‘ଖାଇଦେଲା’ ମିଶ୍ର କ୍ରିୟା, ଏହାର ପ୍ରଥମଟି (ଖାଇ) ଗୋଟିଏ ଅସମାପିକା
କ୍ରିୟା କିନ୍ତୁ ‘ଦେଲା’ ପଦଟି କଣ? ସେଥିପାଇଁ ଆହୁରି ଆଗକୁ ଯାଇ କ, ସହାୟକ କ୍ରିୟା ଓ ଖ. ସାହାଯ୍ୟକାରୀ କ୍ରିୟା ବିଷୟରେ ଜାଣିବା ପାଇଁ ପଡ଼ିବ ।
(କ) ସହାୟକ କ୍ରିୟା – କ୍ରିୟାର ବିଭିନ୍ନ ଆଭିମୁଖ୍ୟ ଓ ଭାବ ପ୍ରକାଶ ନିମନ୍ତେ ମୂଳକ୍ରିୟା ସହିତ ଯେଉଁ
କ୍ରିୟାର ସଂଯୋଗ ଘଟିଥାଏ । ଏହା ମୂଳ କ୍ରିୟାପଦର ଅସମାପିକା ରୂପର ଅନୁଗାମୀ ହୁଏ ଓ ସମାପିକା କ୍ରିୟାପଦର
ରଚନାତ୍ମକ ରୂପଧର୍ମ ଗ୍ରହଣ କରେ । ଆମ ଭାଷାରେ ଏହା ମାତ୍ର ୨ଟି ଯଥା - ଅଛ୍ ଓ ଥା ।
ଅଛ୍ – କରୁଛି (ଅସମ୍ପନ୍ନ ବର୍ତମାନ), କରିଛି (ସମ୍ପନ୍ନ ବର୍ତମାନ)
ଥା – ବର୍ତମାନ କାଳକୁ
ବାଦ୍ ଦେଇ ଅନ୍ୟ ସମସ୍ତ କାଳ ଓ ଭାବରେ ଅସମ୍ପନ୍ନ ଓ ସମ୍ପନ୍ନ କ୍ରିୟାପଦ ଗଠନରେ ସହାଯତା କରେ ।
ଯଥା – କରିଥିଲି, କରୁଥିବି, କରିଥାନ୍ତା, କରୁଥା ପ୍ରଭୃତି ।
ଏଥିରେ ‘ଦେଲା’ କ୍ରିୟା ଅନ୍ତର୍ଭୁକ୍ତ ନୁହେଁ, ତେଣୁ ‘ଦେଲା’ ସହାୟକ କ୍ରିୟା ନୁହେଁ ।
(ଖ) ସାହାଯ୍ୟକାରୀ କ୍ରିୟା - ଅଛ୍ ଓ ଥା ସହାୟକ କ୍ରିୟା
ବ୍ୟତୀତ ଆଉ କେତେକ ଧାତୁ ମୂଳ କ୍ରିୟାର ଅର୍ଥ ବିଶେଷିତ କରିବା ପାଇଁ ସାହାଯ୍ୟକାରୀ କ୍ରିୟା
ରୂପେ ପ୍ରୟୋଗ ହୁଅନ୍ତି ।
(ଅ) ଏମାନେ ସର୍ବଦା ମୂଳକ୍ରିୟାର ଅତୀତ କ୍ରିୟାମୂଳ
(ଇ-କାରାନ୍ତ କ୍ରିୟାମୂଳ) ସଙ୍ଗେ ଯୋଡ଼ା ହୁଅନ୍ତି ।
(ଆ) ଏହିସବୁ ସାହାଯ୍ୟକାରୀ କ୍ରିୟାଗୁଡ଼ିକ କେତେବେଳେ
ମୂଳ କ୍ରିୟାର ଅର୍ଥକୁ ବିଶେଷିତ କରନ୍ତି । ଯଥା – ମୁଁ ଖାଇପାରେ । ସେ କରି ସାରିଲେଣି । ଏ ଦୁଇ ବାକ୍ୟରେ ଖାଇବାର କ୍ଷମତା ଓ
କରିବାରେ ନିଷ୍ପନ୍ନତା ପ୍ରକାଶ ପାଉଛି ।
(ଇ)ନଚେତ୍ ସାହାଯ୍ୟକାରୀ କ୍ରିୟା, ମୂଳକ୍ରିୟାର ଅଳଙ୍କାର ପରି ପ୍ରୟୋଗ ହୁଅନ୍ତି । ଯଥା– ସେ ଖାଇଦେଲା । ଖାଇଦେଲା ଅର୍ଥ ‘ଖାଇଲା’ । ତେଣୁ ଏଠାରେ ‘ଦେଲା’ ‘ଖାଇଲା’ର ଅଳଙ୍କାର ମାତ୍ର । ବେଳେବେଳେ ଅର୍ଥ ଥାଏ, ଯେମିତି କାହାକୁ ନପଚାରି ନମାନି ବା ତରତର ହୋଇ ଖାଇଦେଲା ।
(ଈ) ମିଶ୍ରକ୍ରିୟାର (ଆ) ଅନୁଚ୍ଛେଦରେ ଦିଆଯାଇଥିବା
କ୍ରିୟାଧାତୁଗୁଡ଼ିକ ଯଥା ଯା, ଆସ୍, ପାର୍, ସାର୍, ପଡ଼୍, ଉଠ୍, ଦେ, ପକା,ବସ୍, ନେ, ଆଣ୍, ରଖ୍, ଜାଣ୍ ପ୍ରଭୃତି ଏହାର ଅନ୍ୟ ଉଦାହରଣ ।
ଅତଏବ ‘ଖାଇଦେଲା’
କ୍ରିୟାପଦର ‘ଦେଲା’ ଏକ ସାହାଯ୍ୟକାରୀ କ୍ରିୟା । ଉତ୍ତର ହେଲା
(ଖ) ସାହାଯ୍ୟକାରୀ କ୍ରିୟା ।
Subscribe to:
Posts (Atom)